Unknown

 

 

 

 

 

 

 

 

 

 

ସପ୍ତରାଗ ଚଉତିଶା

କ୍ଷତ୍ରିବର ଭଞ୍ଜ

 

(ଘୁମୁସର ରାଜ୍ୟର ରାଜା କ୍ଷତ୍ରିବର ଭଞ୍ଜ ଖ୍ରୀ:ଅ: ୧୭୦୭ ରୁ ୧୭୫୪ ଯାଏଁ ରାଜ୍ୟ ଶାସନ କରିଥିଲେ । ସେ ଜଣେ କବି ଓ ସୁସାହିତ୍ୟିକ ଥିଲେ । ତାଙ୍କର ‘ମଙ୍ଗଳଗୀତ', ‘ରସନିଧି', ‘ତ୍ରୈଲୋକ୍ୟମୋହିନୀ’ ଗ୍ରନ୍ଥି ରହିଛି । ଏହାବ୍ୟତୀତ ସେ ଅନେକ ଚଉତିଶା ରଚନା କରିଯାଇଛନ୍ତି । ଘନ ଭଞ୍ଜ କବି ଥିବା ଆମେ ଜାଣୁ । କ୍ଷତ୍ରିୟବର ଭଞ୍ଜ ଓ ଘନ ଭଞ୍ଜ ଏକ ବୋଲି ଆଲୋଚକ କେଦାରନାଥ ମହାପାତ୍ର ତାଙ୍କ ଦ୍ୱାରା ରଚିତ “ଖୁରୁଧା ଇତିହାସ’ରେ ଉଲ୍ଲେଖ କରିଛନ୍ତି । ସପ୍ତରାଗ ଚଉତିଶା’ କବିଙ୍କ ଏକ ଅନବଦ୍ୟ ସୃଷ୍ଟି । ଚଉତିଶାର ଭଣତିରେ କବି ‘ନୃପତି କ୍ଷତ୍ରିବର ଭଞ୍ଜ ଭଣି’ ଦର୍ଶାଇଛନ୍ତି । ରାଧାକୃଷ୍ଣଙ୍କ ପ୍ରେମ ଅଭେଦ୍ୟ, ଚିରନ୍ତନ । କେହି କାହାରିକୁ ଛାଡ଼ି ଘଡ଼ିଏ ରହିପାରନ୍ତି ନାହିଁ । ରାଧାଙ୍କ ବିରସ ମୁଖ ଦେଖି କୃଷ୍ଣ ତାଙ୍କୁ ଚାଟୂ କରିଛନ୍ତି । ରାଧାକୃଷ୍ଣଙ୍କ ଅପାର ପ୍ରେମ, ବିରହ ଓ ମିଳନର ଚିତ୍ର ଏଥିରେ ରହିଛି । ମଧ୍ୟଯୁଗୀୟ ରୀତି, ରସ, ଧ୍ୱନି ଅଳଙ୍କାରରେ ଚଉତିଶାଟି ପରିପୂର୍ଣ୍ଣ ।)

 

କୃଷ୍ଣଚନ୍ଦ୍ର ଭାଷି କୃପାନିଧାନୀ

କୃଶ ତନୁ ବୃଷଭାନୁ ନନ୍ଦିନୀ (ଘୋଷା)

କଞ୍ଜ ଗଞ୍ଜନ ଦୃଶୀ !            କେଳି କଳା ଲାଳସୀ

କହ ନାହିଁ ପାଇଁ ବସିଛୁ ଋଷି ।।୧।।

 

ଖରତର ଶ୍ୱାସ ମନ ଅଧୀର

ଖଞ୍ଜନ ନେତ୍ରୁ ବହେ ନୀର ଧାର

କ୍ଷଣେ ଓପ୍ରୋଧେ ନାହିଁ            ଖେଦେ ବଢ଼ୁ କିମ୍ପାଇଁ

କ୍ଷିତିକି ଚାହୁଁ କର ଗଣ୍ଡେ ଦେଇ ।।୨।।

 

ଗୁଣମଣି କାମ ବାନ୍ଧବୀ ବହୁ

ଗୋରୀ ! ନ ବୁଝିଲେ ବୁଝିବ କେହୁ

ଗତି ତୁ ଏକା ମୋର            ଗୋପ୍ୟ ନାହିଁ ତୋ ଠାର

ଗଜମନୀ ବୁଝାମଣା କର ! ।।୩।।

 

ଘେନାଘେନି ସ୍ତନ କଥାମାନଙ୍କ

ଘୋର ବିଘ୍ନ ପଡ଼େ ଖ୍ୟାତ ତ୍ରୈଲୋକ୍ୟ

ଘନକେଶୀ ! ସେମାନ            ଘେନି ସୁଜନ

ଘେନନ୍ତି ନାହିଁ ଆଜି ଗୀତମାନ ।।୪।।

 

ନାହିଁ ତୋହ ପରା ପ୍ରଭୁ କାହିଁ କେହିଁ କେହିଁ

ନ ବୁଝି ଦଣ୍ଡିଲେ ରଖନ୍ତା ନାହିଁ

ନନ୍ଦ ସୁତ ଏ ବାଣୀ            ନିଶ୍ଚେ ହୃଦୟେ ଗୁଣି

ନୃପତି କ୍ଷତ୍ରିବର ଭଞ୍ଜ ଭଣି ।।୫।।

 

ଭାବାର୍ଥ-(୧-୫) ରାଧା ମନ ମାରି ରୁଷି ବସିଥିବା ଦେଖି କୃଷ୍ଣ ଚାଟୂ କରି ହସି ହସି ପଚାରିଲେ-ରେ କୃପାନିଧାନୀ, କ୍ଷୀଣୋଦରୀ, ବୃଷଭାନୁ ଜେମା, ପଦ୍ମ ନୟନୀ, କେଳି କଳା ଲାଳସୀ-! କାହିଁକ ରୁଷି ବସିଛୁ କହ ? ଖରତର ହୋଇ ନିଶ୍ୱାସ-ବହୁଛି, ମନ ଅଧୀର ଜଣାପଡୁଛି, ଖଞ୍ଜନ ନେତ୍ରରୁ ଧାର ଧାର ଲୁହ ଝରି ପଡୁଛି, କିଛି ଘଟଣା ଘଟିଥିଲା ଜଣାଯାଉନାହିଁ, ମନରେ କାହିଁକି ଏତେ ଦୁଃଖ କରୁଛୁ ? ଗାଲରେ ହାତ ଦେଇ ଭୂମିକୁ ଚାହିଁ ବସିଛୁ । ରେ ଗୋରି, କାମବାନ୍ଧବୀ, ଗୁଣମଣି ! ତୋ ଦୁଃଖ ମୁଁ ନ ବୁଝିଲେ କିଏ ବୁଝିବ କହିଲୁ ? ତୁ ମୋର ଏକମାତ୍ର ଗତି । ତୋ ଠାରେ କିଛି ଗୋପ୍ୟ ରହିବା କଥା ନୁହଁ । ରେ ଗଜଗମନି ! କ’ଣ ହୋଇଛି ବୁଝାଇ କହ ।

 

ରେ ଘନକେଶି ! ତୁ ମାନ କଲେ ତିନିଲୋକରେ ବିଘ୍ନ ପଡ଼ିବ । ସେମାନକୁ ନେଇ ସୁଜନମାନେ ଆଜି ଗୀତ ଗାନ କରିବେ ନାହିଁ । କବି କ୍ଷତ୍ରିବର ଭଞ୍ଜ ପ୍ରଭୁଙ୍କୁ ନିବେଦନ ଜଣାଇ କହୁଛନ୍ତି-ତୋହପରି ପ୍ରଭୁ କାହିଁ କେଉଁଠି ନାହାନ୍ତି । ନନ୍ଦସୁତ କୃଷ୍ଣ ଏ କଥାକୁ ହୃଦୟରେ ଗୁଣିବେ । କ୍ଷତ୍ରିବର ଭଞ୍ଜ ଏ ଗୀତକୁ ଭଣିଲେ ।

***

 

ରାଗ-ମୁଖାରି

 

ଚଟଳୁ ଚମ୍ପକ ଅଘୀ ଚମରୀ ଲୋଚନୀରେ

ଚାହୁଁ ଚାହୁଁ ନ ଚାହୁଁଛୁ ମୋ ମୁଖକୁ ଧନୀରେ

ଚୋଖତୀଖ ନଖରେ ଚିରୁ ମହୀ ଶିଖରେ

ଚେଳାଞ୍ଚଳ ଚାଳି ଟେକି ଚାରୁ ଚନ୍ଦ୍ରମୁଖରେ ।।୧।।

 

ଛତ୍ରପତି ଦୋହିତୀ ରସବତୀରେ

ଛେମାବତୀ ! ଜାଣୁ ପ୍ରୀତି ଗତାଗତି ରେ

ଛାର କଥା ଶୁଣିରେ ଛୋଭ ନିକି ଘେନିରେ

ଛାଡ଼ ଗୂଢ଼ ଗାଢ଼ ତାପ କୋପରୂପ ଘେନିରେ

ଛାଡ଼ ଗୂଢ଼ ଗାଢ଼ ତାପ କୋପରୂପ ଧନୀରେ ।।୨।।

 

ଯିବ ଯିବ ଯିବ ଜୀବ ତୋ ଭାବ ଅଭାବରେ

ଜାଣୁ ଜାଣୁ ଜାରୁ ମଣି ! ଏହା କରୁ ଏବେରେ

ଜାଣୁ ମନ ଦୁଃଖରେ ଯତନେ ଉପେଖରେ

ଯିବା ଜୀବ ରଖ ସୁଖଦାନୀ ! ପାଖରେ ରଖରେ ।।୩।।

 

ଝସ ଝସ ବାସଜନୟନା ଧୀରେ ରେ

ଝମ ଝମ ଅଙ୍ଗ ଦମଦମ ହୃଦ ମୋର ରେ

ଝଳିଗୋରୀ ! ଦେଖରେ            ଝଟତି ତୁ ରଖରେ

ଝଗଡ଼େ ଦୃଢ଼ ନିଗଡ଼େ ପଡ଼ି ମୁଁ ନିରେଖ ରେ ।।୪।।

 

ନାଗରୀ, ଗୋରୀ, ସୁନ୍ଦରୀ କରିବାକୁ ସାହିରେ

ନାହିଁ ନାହିଁ କାହିଁ ରସାରେ ତ ମୋର କେହି ରେ

ନିଶ୍ଚେ ମୁଁ ତୋ ଦାସରେ            ନ କର ନିରାଶରେ

ନରବର କ୍ଷତ୍ରିବର ଚିନ୍ତେ ପୀତବାସ ରେ ।।୫।।

 

ଭାବାର୍ଥ-(୧-୫) କୃଷ୍ଣ ପୁଣି କହୁଛନ୍ତି-ରେ ଚଟୁଳ ଚମ୍ପକ ଅଙ୍ଗି, ଚମର ଲୋଚନି । ରେ ଧନି, ମୋ ମୁଖରୁ ଚାହିଁ, ଚାହୁଁ ନାହୁଁ । ମୋ ଉପେର ରାଗିଛୁ କି ? ଚୋଖତୀଖ (ତୀକ୍ଷ୍‍ଣ) ନଖରେ କ୍ରୋଧରେ ଭୂମି ଉପରେ ମାଟିକୁ ଚିରି ପକାଉଛୁ । ରେ ସଖି, ତୋ ଚାରୁଚନ୍ଦ୍ରମୁଖଟି ବିଷର୍ଣ୍ଣ ଦେଖାଯାଉଛି । ରେ ରସବତି, ପ୍ରୀତିର ଗତାଗତି ତୁ ଜାଣୁ । କେଉଁଠୁ କ’ଣ ଛାର କଥାଟିଏ ଶୁଣିଲୁ ଯେ, ଏଥିପାଇଁ ମନରେ କ୍ଷୋଭ କରୁଛୁ ? ମନରୁ ରାଗ ରୋଷ ଛାଡ଼, କୋପକୁ ପରିହାର କର । ତୋ ଭାବ ଅଭାବରେ ଏ ଜୀବନ ଯିବ, ଏହା ନିଶ୍ଚିତ । ରେ ରମଣୀମଣି, ଜାଣି ଜାଣି ଏମିତି କାହିଁକି କରୁଛୁ ? ମନଦୁଃଖକୁ ପରିହାର କର । ଯାଉଥିବା ଜୀବନ ରଖି ସୁଖ ପ୍ରଦାନ କର ।

 

ରେ ମୀନନୟନ, ତୋତେ ନ ଦେଖିଲେ ମୋର ଶରୀର ଝାମଝମ ହୁଏ, ହୃଦୟ ଦମଦମ ହୁଏ । ରେ ଝଳି ଗୋର, ଶୀଘ୍ର ତୁ ତୋର ଅଭିମାନକୁ ଛାଡ଼େ, ଭୁଲରେ ଦୃଢ଼ବନ୍ଧନରେ ପଡ଼ି ମୁଁ ତୋତେ ନିରେଖୁଛି । ରେ ନାଗର, ଗୋର, ସୁନ୍ଦର, ରସାରେ, ତୁ ମୋର କ’ଣ କେହି ନୁହଁ-? ଏହା ନିଶ୍ଚିତ ଯେ, ମୁଁ ତୋର ଦାସ, ମୋତେ ନିରାଶ କର ନା । ନରବର କ୍ଷତ୍ରିବର, ପୀତବାସଙ୍କୁ ପ୍ରାର୍ଥନା କରି ଏହା କହିଲେ ।

***

 

ରାଗ-ଆହାରୀ

 

ତରୁଣୀ ମଣି-            ମଣିପୁର ଭୂଷଣି !

ଏଣିନେତ୍ରୀ ! ଅନାରେ

ତନୁ ତନୁ ଫୁଲ            ଧନୁ କରୁଅଛି

ବଧୂ ଭାବ ବିନାରେ

ତାରତର ଅଧରନ କମ୍ପାରେ

ତପବଳ ଫଳ ହେବ ମୋ ସଫଳ କର ଅନୁକମ୍ପାରେ ।।୧।।

 

ଥାଉଁ ଥାଉଁ ତୋହ            ପରା ପ୍ରଭୁ ଚାହୁଁ-

ଚାହୁଁ ଗଲେ ନାଶରେ

ଥୁଳ ସ୍ତନା ଅନା            ଥିରା ମଧ୍ୟେ ସିନା

ରହିବ ଅଯଶରେ

ଥିବ କୀର୍ତ୍ତି ପ୍ରୀତିଦାନୀ ରଖରେ

ଆଶୁ ମୋହିନୀ ଭାବିନୀ ! ଗୁଣମଣି ତୁ ମୋର ସବୁ ସୁଖରେ ।।୨।।

 

ଦାସ ନାଶେ କିସ            ଯଶ ପଉରୋଷ

ଫେଡ଼ି ତ ନ କହୁରେ

ଦୁଃଖ ବଢ଼ି ସୁଖ            ଏଡ଼ି ଭାବ ଛାଡ଼ି

ହେଠ ମୁଖେ ରହୁ ରେ

ଦରହାସ ପ୍ରକାଶିତ ବେଶରେ

ଦମ୍ଭ ଅବଲମ୍ବ କର ପିରଷ୍ୱଙ୍ଗ କର ହୋଇ ତୋଷ ରେ ।।୩।।

 

ଧରା ଜାତ ଫଳ            ସଫଳ ପଙ୍କିଳ

ମୁଖୀ ! ଅନୁକୂଳରେ

ଧର୍ମ ଅର୍ଥ ମୋକ୍ଷ-            କାମ ହିଁ ପ୍ରତ୍ୟକ୍ଷ

ପାଇ ତୋହ କାଳରେ

ଧନ୍ୟ ଧନ୍ୟ ଅମୂଲ୍ୟ ପ୍ରତିମାରେ

ଧାରା ରଚନାରେ ନାରୀ ସଂସାରରେ ତୋ ସମ କେ ରାମାରେ ।।୪।।

 

ନବୁଝି ବିବେକ            ପ୍ରଭୁ କଲେ ତୋଖ

ରକ୍ଷା କେ ଧରୀଣରେ

ନୋକ ଗରନାରେ             ତୋ ଘେନି ସଂସାରେ

ମୁଁସିନାବରଣୀରେ

ନିଶ୍ଚେ ନାଶ ଯିବି କଲେ ହେଳାରେ

ନୃପ କ୍ଷତ୍ରିବର ଚିନ୍ତେ ନିରନ୍ତର କୃଷ୍ଣ ପାଦ ତଳ ରେ ।।୫।।

 

ଭାବାର୍ଥ-(୧-୫) ରେ ତରୁଣୀମଣି, ମଣିପୁର ଭୂଷଣି, ମୃଗନେତ୍ରି ମୋ ଆଡକୁ ଚାହାଁ । କନ୍ଦର୍ପ ଫୁଲଧନୁ ଧାରଣ କରିଛି । ରାଗରେ ତୁ ଅଧର କମ୍ପାନା । ମୋ ପ୍ରତି ଦୟାକର । ତା’ ହେଲେ ଯାଇ ମୁଁ ଜାଣିବି, ମୋ ତପସ୍ୟା ଫଳ ସଫଳ ହୋଇଛି । ଚାହୁଁ ଚାହୁଁ ତୋ ପରି ପ୍ରଭୁ ନାଶ ଗଲେ । ରେ ସ୍ଥଳସ୍ତନା ଅନା । ଅଭିମାନ କରନା । ନ ହେଲେ ସଂସାରରେ ଅଯଥା ଅଯଶ ହେବ । ରେ ମୋହିନି, ଭାବିନି, ଗୁଣମଣି, ତୁ ମୋର ସବୁ ସୁଖ । ପ୍ରୀତିଦାନୀ ରଖ, କୀର୍ତ୍ତି ରହିବ । ରେ ପ୍ରିୟା, ଦାସ ନାଶ ଗଲେ, ତୁ କି ଯଶ ପୌରୁଷ ପାଇବୁ, ଫେଡ଼ି କରି କହୁନାହୁଁ କାହିଁକି ? ଦୁଃଖ ଭାବକୁ ଆନନ୍ଦ ମନରେ ରହ । ତୋ ବେଶରେ ଦରହାସ ପ୍ରକାଶ ପାଉ । ଦମ୍ଭ ଧର । ନିବିଡ଼ ଆଲିଙ୍ଗନ (ପରିଷ୍ୱଙ୍ଗ) କରି ଆନନ୍ଦିତା ହୁଅ ।

 

ରେ ସଖି, ଧରାଜାତ ଫଳ ଅନୁକୂଳରେ ଲାଗେ । ଧର୍ମ, ଅର୍ଥ, ମୋକ୍ଷ, କାମର ଫଳ ପ୍ରତ୍ୟକ୍ଷ ଭାବରେ ତୁ ପାଇବୁ । ତୁ ଅମୂଲ୍ୟ ପ୍ରତିମା, ଜଗତରେ ଧନ୍ୟା । ବିଧାତା, ନାରୀ ସଂସାରରେ ଯେଉଁ ନାରୀ ଗଢ଼ିଛି, ତା’ ଭିତରେ ତୁ ଶ୍ରେଷ୍ଠା । ରେ ରାମା, ତୋ ସମାନ ସୁନ୍ଦରୀ କେହି ନାହିଁ । ପ୍ରଭୁ ଯଦି ରକ୍ଷା ନ କରିବେ, ଜଗତରେ କିଏ ବା ରକ୍ଷା କରି ପାରିବେ ? ମୋତେ ଯଦି ତୁ ହେଳା କରିବୁ, ମୁଁ ନିଶ୍ଚୟ ନାଶ ଯିବି । କୃଷ୍ଣଙ୍କ ପାଦ ତଳରେ କବି ନୃପ କ୍ଷତ୍ରିବର ନିରନ୍ତର ପ୍ରାର୍ଥନା କରୁଛନ୍ତି ।

***

 

ରାଗ-ତୋଡ଼ି

 

ଟେକଯଉବନୀ-            ବନିତା ନ ଘେନୁ

ବିନୋଇ କହିଲେ ଯେତେ

ଟାଳି ଦେଲେ ପ୍ରୀତି            ଟଳି ଯିବ ପ୍ରାଣ

ପଛେ ନ ପାଇବୁ ମୋତେ

ରେ ରାମା !

ଟେକି ଚନ୍ଦ୍ର ମୁଖ ଅନା

ଟହ ଟହ ହସି            ଆଲିଙ୍ଗନ କର

ହେବା ଆଜୁଁ ବିକା କିଣାରେ ।।୧।।

 

ଠାକୁରାଣୀ ଏଣୀ            ଦୃଶୀ ଶଶୀ ହାସୀ

ଭାସିଲି ମଦନ ଜଳେ

ଠଣ ଜାନୁ-ନାବ            ଦେଇ ରଖ ଜୀବ

ଜଣାଉ ଅଛି ଆକୁଳେ

ରେ ରାମା !

ଠିକେ ଭାବକୂଳେ ଲଗା

ଠାଠିକ ଚାରୁ             ଚନ୍ଦ୍ରଜିତ ବଦନା

ମୁଁ ତୋ ନୁହଇ ଅଲଗାରେ ।।୨।।

 

ଡୋଳୁ ଅନ୍ତର            ପଲକ ପରାବର-

ବରନୀ ! ତୁ ସହୁ ନାହିଁ

ଡୋଳାଇ ସେ ସୁଖ            ଦୁଃଖ ମୂଳ କରି

ଅବନୀକି ଅଛୁ ଚାହିଁ

ରେ ରାମା !

ଡକାଇତ ପ୍ରାୟ ନୁହଁ

ଡୋଳା ପ୍ରତିମା ଉମା ସମ ସୁଷମା

ରମା ସମ ଦୟା ବହରେ ।।୩।।

 

ଢଳି ଚାହିଁବା            ରହି କହି ହସିବା

ରସିବା ତୋଷିବା ଯେତେ

ଢାଳେ କଥାୟେକ            ଏଥୁଁ ନକଲେ ତୁ

କି ବୋଲିବେ ଲୋକେ ତୋତେ

ରେ ରାମା !

ଢାଳିଦିଅ ସୁଧାରସ

ଢମ କହୁ ନାହିଁ            ଗୁଣମଣି ସହୀ!

କିଣା ଦାବ ପୋଷ ପାଶରେ ।।୪।।

 

ଅଣିମାଦି ଅଷ୍ଟ-            ଅଇଶ୍ୱର୍ଯ୍ୟ ସିଦ୍ଧି

ସୁରପୁରେ ବିଧିଦେଲେ

ଅଣୁରୁ ଅଣୁ            ଅଣହେଳା ତହିଁରେ

ତୋ ଶ୍ରୀମୁଖେ ଦେଖୁଥିଲେ

ରେ ରାମା !

ଆନ ଏ ସୁଖ ନ କର

ଆନନ୍ଦ-କନ୍ଦ            ଗୋବିନ୍ଦ-ପଦ-ଦ୍ୱନ୍ଦ

ଭାବେ ଭଞ୍ଜ କ୍ଷତ୍ରିବରରେ ।।୫।।

 

ଭାବାର୍ଥ-(୧-୫) ରେ ସଖି, ଟେକଯଉବନି, ଯେତେ କରି ବିନୟ ହୋଇ ତୋତେ କହିଲେ ମଧ୍ୟ ତୁ ଶୁଣୁନାହୁଁ । ତୁ ଯଦି ମୋ ପ୍ରୀତିକୁ ଟାଳି ଦେବୁ, ତେବେ ମୋ ପ୍ରାଣ ଟଳିଯିବ । ମୋତେ ଆଉ ପାଇବୁ ନାହିଁ । ରେ ରାମା, ତୋ ଚନ୍ଦ୍ରମୁଖକୁ ଟେକି ଟିକିଏ ଚାହାଁ । ଟହ ଟହ ହସି ମୋତେ ଆଲିଙ୍ଗନ କର । ମୁଁ ତୋ ପାଖରେ ବିକି ହୋଇଯିବି, ତୁ ମୋତେ କିଣି ନେବୁରେ ଶଶିହାସି, ମୃଗନେତ୍ରି, ମୁଁ କନ୍ଦର୍ପ ଜଳରେ ଭାସୁଛି । ତୋ ସୁନ୍ଦର ଜାନୁନାବଦ୍ଵାରା ମୋତେ ଉଦ୍ଧାର କର । ମୁଁ ତୋତେ ଆକୁଳ କଣ୍ଠରେ ଗୁହାରି କରୁଛି । ରେ ରାମା, ମୋତେ ଠିକ୍‍ରେ ତୋ ଭାବ-କୁଳରେ ଲଗା । ରେ ଚାରୁ ଚନ୍ଦ୍ରଜିତ ବଦନା, ମୁଁ ତୋ ଠାରୁ ଅଲଗା ନୁହଁ । ଆମେ ଦୁହେଁ ଏକ, ଅଭିନ୍ନ । ତୋତେ ଚକ୍ଷୁ ସମ୍ମୁଖରୁ ଘଡ଼ିଏ ଅନ୍ତର କଲେ ତୁ ସହୁ ନ ଥିଲୁ । ଡୋଳାର ସେ ସୁଖକୁ ଛାଡ଼ି, ଦୁଃଖକୁ ମୂଳ କରିଛୁ । ଭୂମିକୁ ଚାହିଁ ରହୁଛୁ । ରେ ରାମା, ଡକାୟତଙ୍କ ପରି ହୁଅ ନାହିଁ । ତୋ ଡୋଳା ପ୍ରତିମାର ଶୋଭା ଉମାଙ୍କ ସୌନ୍ଦର୍ଯ୍ୟ ସମାନ । ଲକ୍ଷ୍ମୀଙ୍କ ପରି ଦୟାବତୀ ହୁଅ ।

 

ରେ ରାମା, ଢଳି ଚାହିଁବା, ରହି, କହି ହସିବା, ରସିବା, ତୋଷିବା-ସଂସାରରେ ଏମିତି ଯେତେ ଗୁଣ ଅଛି ସେଥିରୁ ଗୋଟିଏ ବି କରୁନାହୁଁ । ଲୋକେ ତୋତେ କ'ଣ କହିବେ କହିଲୁ ? ରେ ରାମା, ମୋ ଉପରେ ଅମୃତ ରସ ଢାଳିଦିଅ । ରେ ଗୁଣମଣି ସହି, ଗର୍ବରେ କହୁନାହିଁ, ମୋତେ କିଣା ଚାକର ଭାବେ ପାଖରେ ରଖି ପୋଷ । ରେ ସଖି, ବିଧାତା, ଅଣିମାଦି ଅଷ୍ଟ ଅଇଶ୍ଵର୍ଯ୍ୟ ସିଦ୍ଧି ସ୍ୱର୍ଗପୁରକୁ ଦେଲେ । ତୋ ଶ୍ରୀମୁଖ ଶୋଭାର ଅଣୁରୁ ଅଣୁ ଆଗରେ ସେ ସବୁ ଐଶ୍ୱର୍ଯ୍ୟ ମୂଲ୍ୟହୀନ-। ତୋ ସୁନ୍ଦର ମୁଖମଣ୍ଡଳ ଦେଖିଲେ କିଏ ବା କାହିଁକି ଏ ସବୁକୁ ଗୁରୁତ୍ୱ ଦେବ ? ରେ ରାମା, ଆନ ସୁଖରେ ଆଉ ମନ ଦିଅ ନାହିଁ । କବି କ୍ଷତ୍ରିବର ଭକ୍ତ କହୁଛନ୍ତି-ହେ ସାଧୁଜନ, ଗୋବିନ୍ଦଙ୍କ ପାଦପଦ୍ମ ତଳେ ମନ-ହୃଦୟକୁ ଢାଳିଦିଅ ।

 

ରେ ନହୁଲୀ ବୟସୀ ଧନ, ଚକ୍ଷୁରୁ ଏତେ ଲୁହ (ବନ) କାହିଁକି ଝରାଉଛୁ ? ତୋ ଭଳି ପ୍ରଭୁ ଜନ ମୋତେ ରକ୍ଷା ନ କଲେ ମୁଁ ସାମାନ୍ୟ ଲୋକ କିପରି ରକ୍ଷା ପାଇବି । ରେ ଲାବଣ୍ୟ ପ୍ରତିମା ପ୍ରିୟା, ତୋ ପରି ବିବେକୀ ପ୍ରିୟା କେହି ନାହିଁ । ରେ ଲୀଳାବତି, ତୋର ଲୀଳା ଏତେ ବଡ଼, ମୁଁ ଜାଣିଲି । ସବୁଦିଗରୁ ଭଲମନ୍ଦ ବୁଝି ମୋତେ ଦୟା କର ।

 

ବେଳକୁ ବେଳ ତୋହର

ବିମ୍ବ ବଧୂକାଧର ଅଧୀର

ବୀଣାବଚନା !            ବଞ୍ଚନା କହୁନାହଁ

ବିନା ଦୋଷେ ଧନ ! ରୋଷ ବୁଝିକର

ବୋଧିଲେ ନ ଗେନୁ ବୋଧ

ବାଧ ଉପରେ ହେଲାଟି ବାଧ

ବିଧି ବିଧାନ ଗୋ            ସବୁ ବୁଡ଼ଲାଟି

ବନ୍ଧୁ! କେବଳ ଅଛିଟି ବଧ ।।୪।।

 

ସ୍ୱରୂପ କହିଲେ ଶୁଣୁ ନାହିଁ

ସୁଜାଣ ବିବେକ ପ୍ରଭୁ ହୋଇ

ସଂସାରେ ଅପ-            ଯଶସିନା ଲଭିବୁ

ଶ୍ୟାମାମଣି ! ନ ଘେନୁ ତୁ କାହିଁପାଇଁ

ସକଳ ଗୁଣେ ତୁ ପରିପୂର୍ଣ୍ଣ

ସେବି ତୋ ପାଦ ମୁଁ ହେଲେ ଶୀର୍ଣ୍ଣ

ଶୁଣିଲେ ଗୋପ-            ବଧୂମାନେ ହସିବେ

ସଦା ଚିନ୍ତେ ଘନଶ୍ୟାମ ବର୍ଣ୍ଣ ।।୫।।

 

ଭାବାର୍ଥ (୪-୫) ରେ ବିମ୍ବାଧର, ବେଳକୁ ବେଳ ତୋର ସୁନ୍ଦର ଅଧର ଅଧୀର ହୋଇପଡୁଛି, ରେ ବୀଣାବଚନା, କପଟାଚାର କରି କହୁନାହିଁ, କେତେପ୍ରକାର ବୁଝାଇଲେ ବୁଝୁନାହିଁ-। ବିନା କାରଣରେ ରୋଷ ହୁଅ ନାହିଁ । ବୋଧ କଲେ ବୋଧ ହେଉ ନାହିଁ । ବାଧା ଉପରେ ବାଧା ସୃଷ୍ଟି କରୁଛି । ବନ୍ଧୁରେ, ବିଧିବିଧାନ ସବୁ ବୁଡ଼ିଗଲାଣି, କେବଳ ମରିବାକୁ ବାକି ଅଛି-। ଗୋ ଶ୍ୟାମାମଣି, ସୁଜାଣ, ବିବେକବାନ ହୋଇ ସତକଥା କହିଲେ ବି ଶୁଣନାହିଁ । କେତେକଥା କହିଲେ ବି ମନକୁ ଘେନୁନାହଁ । ସଂସାରରେ ଅପଯଶ କେବଳ ପାଇବ । ସକଳ ଗୁଣରେ ତୁ ପରିପୂର୍ଣ୍ଣ । ତୋ ପାଦ ସେବା କରି ମୁଁ ଶୀର୍ଣ୍ଣ ହେଲିଣି । ଏ କଥା ଶୁଣିଲେ ଗୋପବଧୂମାନେ ହସିବେ । କବି ସର୍ବଦା ପ୍ରଭୁଙ୍କ ଚିନ୍ତା କରୁଛନ୍ତି ।

***

 

ରାଗ-ଓଡ଼ିଶୀ କାମୋଦୀ

 

ଯୁବତୀ କୁଳ ରତନ

ଜାଣୁମଣି ଜାଣୁ ମୋର ମନ

ଜୀବଥିବା ଯାକେ            ତୋତେ କେ ମୂର୍ଚ୍ଛିବ

ଯୋଗୀ ପ୍ରାୟେ ବନ୍ଧୁଠାରେ ମୋର ଧ୍ୟାନ

ଜମ୍ବୁନଦଗାତ୍ରୀ ସହୀ !

ଜାଣି ଦୟା ନକରୁ କିମ୍ପାଇ

ଜଗତେ ସବୁରି            ସମସ୍ତେ ଅଛନ୍ତି

ଜାଣ ତୋ ବିନୁ ତୋର ଆନ ନାହିଁ ।।୧।।

 

ରଙ୍କ ମୁଁ ତୁ ରତ୍ନାକର

ରାମା ! ଦୟାଧନେ କ୍ରୟ କର

ରହିଥିବି ପାଶେ            ଜୀବ ଥିବା ଯାଏ

ରଖ ହାଥପତ୍ର ଦେବି ଘେନ ମୋର

ରସବତୀ ପ୍ରେମଶୀଳା

ରସେ ରସି ରାସ-ରସ ବଳା

ରତି ପତି ଅତି             ଅନୀତି କଲାଟି

ରକ୍ଷାକର ନୃପଜା କୋମଳା ବାଳା ।।୨।।

 

ଲହୁଲୀ ବୟସୀ ଧନ !

ଲୋକ ନେତ୍ରୁ କେତେ ତେଜୁ ବନ

ଲୋକ ସିନା ମୁହିଁ            କି ରକ୍ଷା ପାଇବି

ନ କଲେ ସେ କୃପା ପ୍ରଭୁ ଜନ

ଲାବଣ୍ୟ ପ୍ରତିମା ପ୍ରିୟା

ଲଛ ତୋ ପରା ବିବେକୀ ପ୍ରିୟା

ଲୀଳାବତୀ ହୋଇ            ଲୀଳା ହେଲା ଏଡ଼େ

ଲାଭହାନି ବନ୍ଧୁ ବୁଝି କର ଦୟା ।।୩।।

 

ଭାବାର୍ଥ-(୧-୩) କୃଷ୍ଣ ପୁଣି କହୁଛନ୍ତି ରାଧାଙ୍କୁ-ରେ ଯୁବତୀକୁଳ ରତନ, ମୋର ସମସ୍ତ ମନ କଥା ଜାଣୁ । ଜୀବ ଥିବା ଯାଏଁ ତୋତେ କିଏ ମୂର୍ଚ୍ଛି ପାରିବ କହିଲୁ । ଯୋଗୀଜନମାନେ ନିଶ୍ଚଳ ମନରେ ପ୍ରଭୁଙ୍କ ଧ୍ୟାନ କଲା ପରି ତୋ ପାଖରେ ମୋର ମନ ଧ୍ୟାନ ଲାଗି ରହିଛି । ରେ ଜମ୍ବୁନଦଗାତ୍ରି (ସୁବର୍ଣ୍ଣ ଦେହୀ) ଜଗତରେ ସମସ୍ତଙ୍କର ସମସ୍ତେ ଅଛନ୍ତି ତୋ ବିନା ମୋର ଅନ୍ୟ କେହି ନାହିଁ । ରେ ସହି, ମୁଁ ରଙ୍କ, ତୁ ରତ୍ନାକର । ରେ ରାମା, ମୋତେ ତୁ ତୋର ଦୟାଧନରେ କିଣ-। ଜୀବ ଥିବା ଯାଏଁ ତୋ ପାଖରେ ରଖିଥିବି । ହାତପତ୍ର ଲେଖିକରି ଦେବି ରଖ । ରେ ରସବତୀ ପ୍ରେମଶୀଳା, ରସରେ ରସିଯାଅ । କନ୍ଦର୍ପ ଅତିମାତ୍ରାରେ ଅନୀତି କରୁଛି । ରେ ବାଳା, ତା’ ଦାଉରୁ ମୋତେ ରକ୍ଷାକର ।

***

 

ରାଗ-କାମୋଦୀ

 

ପ୍ରସନ୍ନ ଆନନଧନୀ ! ମଳିନ ନକର

ପଞ୍ଚଶର-ଶର-ଦର-ହର-ରାମାବର !

ପ୍ରିୟତମା ରେ

ପ୍ରଭୁପଣ ଟେକ ରଖ

ପ୍ରୀତି କୀର୍ତ୍ତି ବଡ଼ ସୁଖ

ପରିରମ୍ଭ ଅବିଳମ୍ବେ କରି ଛାଡ଼ ଦୁଃଖ ।।୧।।

 

ଫୁଲ୍ଲ ଅମଳ କମଳ ଦଳ ନେତ୍ରୀ ସହୀ

ଫନ୍ଦା ମୋର କରୀବର ଗତି ତୁହି

ଫୁଟିହାସି ରେ !

ଫାଇ କୋପ ତୋ ଯହିଁ କି

ଫେଡ଼ି ନ କହୁ କାହିକିଁ

ଫଳେ ବୁଝି ବଉଝାମଣା କରି ଯେ ବିବେକୀ ।।୨।।

 

ବରାଙ୍ଗୀ ସୁମଙ୍ଗୀ ରସରଙ୍ଗୀ ହୃଦେ ଜଡ଼ି

ବିହର ମୋ କୋଳେ ଭୋଳେ ଗଳେ ଭୁଜି ଭିଡ଼ି

ବିଧୁ ମୁଖୀରେ

ବିମ୍ବାଧରୁ ଦିଅ ସୁଧା

ବୋଧ ହେଉ କାମ କ୍ଷୁଧା

ବିଳମ୍ବ ନକର ବର ଦୟାଳୟ ରାଧା ।।୩।।

 

ଭାବାର୍ଥ-(୧-୩) ରେ ପ୍ରସନ୍ନ ଆନନା, ମନ ଊଣା କର ନାହିଁ । ପଞ୍ଚଶରର ଭୟକୁ ଦୂର କର । ରେ ରାମାବର, ପ୍ରିୟତମା, ପ୍ରଭୁପଣ ଟେକି ରଖ । ସଂସାରରେ ପ୍ରୀତିର କୀର୍ତ୍ତି ହେଉଛି ସର୍ବଶ୍ରେଷ୍ଠ ସୁଖ । ଶୀଘ୍ର ପରିଚୟ (ନିବିଡ଼ ଆଲିଙ୍ଗନ) କରି ଦୁଃଖକୁ ଦୂର କର । ରେ କମଳ ଦଳ ନେତ୍ରି, ସହି ମୋର, ଗଜଗମନୀ । ରେ ଫୁଟି ହାସୀ, ତୋର କୋପର କାରଣ ମୋତେ ଫେଡ଼ି କରି କହୁନୁ କାହିଁକି ? ତା’ ହେଲେ ସିନା ବୁଝାମଣା କରିବି । ରେ ବରାଙ୍ଗି, ରସରଙ୍ଗି ମୋ ହୃଦୟରେ ଜଡ଼ି କୋଳରେ ବିହାର କର, ଗଳାକୁ ଭୁଜରେ ଭିଡ଼ି ଧର । ରେ ବିଧୁମୁଖି, ତୋର ବିମ୍ବାଧରରୁ ସୁଧା ପ୍ରଦାନ କର । କାମକ୍ଷୁଧା ମୋର ଦୂର ହେବ । ହେ ଦୟାମୟୀ ରାଧା, ବିଳମ୍ବ ନ କରି ଏ କାର୍ଯ୍ୟ କର ।

 

ଭାବ ହାବ ଲାଭ ଲଭିବାକୁ ମୋର ମନ

ଭର୍ମାଙ୍ଗୀ ସୁମଙ୍ଗୀ ହେବ ହେଲେ ତୁ ପ୍ରସନ୍ନ

ଭାବ ନିଧିରେ

ଭଜିଥିବି ତୋତେ ମୁହିଁ

ଭୃତ୍ୟ ଜନ ପ୍ରାୟେ ହୋଇ

ଭିନ୍ନ ନ କର ଅଭିନ୍ନ ମୋ ମାଗୁଣି ଏହି ।।୪।।

 

 

 

ମାନ ମୁଞ୍ଚ ଉଚ୍ଚ ଘଞ୍ଚ କୁଚ ସୁଶୋଭନା

ମୋତେ ସଞ୍ଚ ରତି ରଞ୍ଚ ଚଞ୍ଚଳନୟନା

ମଦାଳସୀରେ

ମାର ମାରୁଅଛି ଦେଖ

ମୀନ ମୃଗନେତ୍ରୀ ରଖ

ମୁକୁନ୍ଦ ପଦାର ବନ୍ଦି କ୍ଷତ୍ରିବର ସୁଖ ଗୋ ।।୫।।

 

ଭାବାର୍ଥ-(୪-୫) ରେ ଭାବନିଧୀ ତୁ ପ୍ରସନ୍ନା ହେଲେ ଭାବ, ହାବ ସବ ମୁଁ ପାଇବି । ଚାକର ପ୍ରାୟ ହୋଇ ତୋତେ ମୁଁ ସର୍ବଦା ଭଜୁଥିବି । ମୋତେ ତୋ ଠାରୁ ଭିନ୍ନ କର ନାହିଁ । ଏତିକି ମୋର ମାଗୁଣି । ରେ ଚଞ୍ଚଳ ନୟନା, ମଦାଳସି, ମନରୁ ମାନକୁ ପରିତ୍ୟାଗ କର । ମୋତେ କନ୍ଦର୍ପ କିପରି ଅହରହ ହନ୍ତସନ୍ତ କରୁଛି ଦେଖ । ରେ ମୃଗନେତ୍ରି, ମୋତେ ଏ ବିପଦରୁ ଉଦ୍ଧାର କର । କବି କ୍ଷତ୍ରିବର କୃଷ୍ଣଙ୍କ ପଦାରବିନ୍ଦରେ ଧ୍ୟାନକରି ଏ ଗୀତ ଲେଖିଲେ ।

***

 

ରାଗ-କାମୋଦୀ

 

ସୁର ସୁନ୍ଦରୀ ସାର-            ମଣ୍ଡନୀ ! ହର ହର-

ପର-ଶରର ଦର

କୃପା କରି

ଶରଦ ଶଶୀ ମୁଖ            ଟେକି ପରମ ସୁଖ

ଦେଇ ଜୀବନ ରଖ

କରି ତୋର

ସାର ସରସିଜ ନେତ୍ରୀ ! ରେ

ସୁବର୍ଣ୍ଣ ଗାତ୍ରୀ ! ରେ            ସୁପ୍ରେମ ପାନ୍ତି ! ରେ

ସୁରତ ଦାତ୍ରୀ ! ରେ ।।୧।।

 

ସକଳ ଗୁଣ ସୀମା            ହେ ବୃଷଭାନୁ ଜେମା

ମୋ ଦୋଷ କର କ୍ଷମା

ମାନ ମୁଞ୍ଚ

ସୁଧା ପୂରିତ ହାସ            କର ଗୋରୀ ପ୍ରକାଶ

ରସ ରଞ୍ଚ

ସଦା ସେବକ ମୁଁ ତୋର ରେ

ସୁଦୟା କର ରେ            ଶ୍ୟାମା ଉଦ୍ଧରରେ

ଶରଣ ତୋରରେ ।।୨।।

 

ହୋଇ ଅତି ବିନତି            ସହି ନ ପାରି ରତି

ରତିପତି ଉନ୍ନତି

ଦେବ ହରି

ହେଲେ ଉଚ୍ଛନ୍ନ ଦମ୍ଭେ            ନରହି ଅବିଳମ୍ବେ

କର ପ୍ରସାରି ରାଧା

ପାଦ ଧରି

ହୃଷ୍ଟ ହୋଇ ତୁଷ୍ଟ ରାମା ସେ

ହେଲା ସକାମା ସେ            ହରିଲା ବାମା ଯେ

ହରିମଧ୍ୟମା ଯେ ।।୩।।

 

ଭାବାର୍ଥ-(୧-୩) କୃଷ୍ଣ ପୁଣି ରାଧାଙ୍କୁ ଅନୁନୟ କରି କହୁଛନ୍ତି-ରେ ସୁର ସୁନ୍ଦରୀ ଶ୍ରେଷ୍ଠ ମଣ୍ଡନି, କନ୍ଦର୍ପ (ହରପର) ଶର ଭୟରୁ ମୋତେ ଉଦ୍ଧାର କର । ଦୟାକରି ତୋ ଶରଦ ଶଶିମୁଖକୁ ଟେକି ମୋତେ ପରମ ସୁଖ ପ୍ରଦାନ କର ଓ ଜୀବନ ରଖ । ରେ ସରସିଜନେତ୍ରି, ସୁବର୍ଣ୍ଣଗାତ୍ରି, ସୁରତଦାତ୍ରି ତୋତେ ପାଇଲେ ମୁଁ ସୁପ୍ରେମ ପାଇବି । ରେ ବୃଷଭାନୁ ଜେମା, ମୋର ସକଳ ଦୋଷକୁ, କ୍ଷମା କରିଦିଅ । ମାନ ଅଭିମାନକୁ ପରିହାର କରି ସୁଧାପୂର୍ଣ୍ଣ ହାସକୁ ପ୍ରକାଶ କର । ପ୍ରେମ ରସ ପ୍ରଦାନ କର । ରେ ପ୍ରିୟା, ମୁଁ ତୋର ସର୍ବଦା ସେବକ ହୋଇ ରହିଛି । ରେ ଶ୍ୟାମା, ମୋତେ ସୁଦୟା କର, ତୋ ପାଖରେ ଶରଣ ପଶୁଛି, ଉଦ୍ଧାର କର । କନ୍ଦର୍ପର ଉନ୍ନତି ସହି ନ ପାରି ଦେବ ହରି ଅତ୍ୟନ୍ତ ବିନୟ ଭାବରେ ରାଧାଙ୍କ କର ଧରିଲେ । ଉଚ୍ଛନ୍ନ ହୋଇ ଅବିଳମ୍ବେ ତାଙ୍କୁ କୋଳେଇ ନେଲେ । ରାଧା ଅତ୍ୟନ୍ତ ଆନନ୍ଦିତା ହେଲେ । କୃଷ୍ଣ ଆନନ୍ଦ ମନରେ ସିଂହକଟୀ (ହରିମଧ୍ୟମା)ଙ୍କୁ ଆଲିଙ୍ଗନ କଲେ ।

 

କ୍ଷକ୍ଷନ୍ଦେ ରାଧା ସଙ୍ଗେ            ଶ୍ରୀକୃଷ୍ଣ କାର ରଙ୍ଗେ

ମିଶି ତା ଅଙ୍ଗେ ଅଙ୍ଗେ

କୁତୂହଳେ

ଛନ୍ଦି ଭୁଜ ଭୁଜେଣ            କରନ୍ତି ଆଲିଙ୍ଗନ

ଅଧରୁ ସୁଧ ପାନ

କରେ ଭୋଳେ

କ୍ଷେମେ ଛଇଳ କହ୍ନାଇ ସେ

କ୍ଷେମା ମନାଇ ସେ            ଛାତିରେ ବହି ସେ

ଛାଡ଼ନ୍ତି ନାହିଁ ସେ ।।୪।।

 

କ୍ଷଣକୁ କ୍ଷଣ ରାଧା            କୃଷ୍ଣରେ ବଢ଼େ ଶ୍ରଦ୍ଧା

କ୍ଷୀର ନୀର ପରାଏ

ମିଶିଗଲେ

କ୍ଷିତୀଶ କ୍ଷତ୍ରିବର            ସେ ପାଦ ନିନ୍ତର

ଧ୍ୟାଇ ପରମ ସୁଖ

ଲଭେ ଭଲେ

କ୍ଷମ କ୍ଷେମର କରଣ ସେ

କ୍ଷେମ ଧାରଣ ସେ            କ୍ଷୋଭ ବାରଣ ସେ

କ୍ଷିତି ଶରଣ ସେ ।।୫।।

 

ଭାବାର୍ଥ-(୪-୫) ରାଧାଙ୍କ ସଙ୍ଗରେ ସ୍ଵଛନ୍ଦରେ ଶ୍ରୀକୃଷ୍ଣ କାମ ରଙ୍ଗରେ ମାତିଲେ । ଦୁହିଁଙ୍କ ଅଙ୍ଗରେ ଶିହରଣ ଖେଳିଗଲା । ଦୁହେଁ ଦୁହିଁଙ୍କୁ ଭୁଜରେ ଭିଡ଼ି ଧରି ଆଲିଙ୍ଗନ କରିବାକୁ ଲାଗିଲେ । ଆନନ୍ଦରେ ଭୋଳ ହୋଇ ପରସ୍ପରର ଅଧରରୁ ଅମୃତ ପାନ କଲେ । ଛଇଳ କହ୍ନାଇ ରାଧାଙ୍କୁ ମନାଇ ଛାତିରେ ଭିଡ଼ିଧରି ଛାଡ଼ିଲେ ନାହିଁ । ଘଡ଼ିକୁ ଘଡ଼ି, ରାଧା, କୃଷ୍ଣ ପ୍ରେମରେ ହଜିଗଲେ, କ୍ଷୀରନୀର ପ୍ରାୟ ମିଶିଗଲେ । କ୍ଷତ୍ରିବର ଭଞ୍ଜ ପ୍ରଭୁ କୃଷ୍ଣଙ୍କ ପାଦତଳେ ନିରନ୍ତର ଧ୍ୟାନକରି ଏ ଗୀତ ରଚନା କଲେ ।

***